Unknown

 

 

 

 

 

 

 

 

 

ଅଭିନ୍ନା ଚଉତିଶା

ଶ୍ରୀ ଦାଶରଥୀ ଦାସ

 

(ଦାଶରଥି ଦାଶ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି । ସେ ଦାଶରଥି ବୁହ୍ମା, ଦାଶରଥି ବିପ୍ର ଭାବେ ମଧ୍ୟ ପରିଚିତ । ସେ କେତେକ ଚଉତିଶା ଓ ଚଉତିଶା ମାଧ୍ୟମରେ ଚିଟାଉ ଲେଖିଛନ୍ତି । କବିଙ୍କର ‘ଅଭିନ୍ନା ଚଉତିଶା’ ଏକ ଅନବଦ୍ୟ ସୃଷ୍ଟି । ବିଦେଶରେ ରହୁଥିବା କେହି ଜଣେ ନାୟକ ନାୟିକାକୁ ଭେଟିଲା ପରେ ତାକୁ ବ୍ୟାକୁଳ ହୋଇ ତା’ର ଭଲ ମନ୍ଦ ବୁଝିଛି, ଚାଟୂ କରିଛି । ଦୁହିଁଙ୍କର ପ୍ରେମ, ସରାଗ ଭାବ ଚଉତିଶାଟିରେ ଫୁଟି ଉଠିଛି । ଆଦି ରସାତ୍ମକ ଏହି ଗୀତରେ କବିଙ୍କର ଭାଷାର ଚମତ୍କାରିତା, ଉକୃଷ୍ଟ ବର୍ଣ୍ଣନା ଶୈଳୀ ପ୍ରକାଶ ପାଇଛି ।)

 

କଉଁ ବିଦେଶୀ ଚତୁରୀ ଶିରୋମଣି ଚରିତ ଚିତ୍ତେ ଚିତ୍ତୋଇରେ

କୁସୁମକାଳ କଳାକର କିରଣେ କହଇ ବ୍ୟାକୁଳ ହୋଇରେ

ଅଭିନ୍ନା !

କେହି ବଞ୍ଚୁଥିବୁ ଦିନରେ

କଉଁଠାରେ ବସିକି ବିଚାରୁଥିବୁ

କେହୁଥିବ ତୋର ମନରେ ।।୧।।

 

ଖୋଷାଖୋଷି ଦିନେ ଦିନେକେ ସରାଗେ ମୋ ଆଗେ ଦେଖାଉ ଆସିରେ

ଖୋଷିଜାଣିମକି ମୋହୋପରା ବୋଳି ବୋଲି ଅଙ୍ଗେଯାଉ ମିଶିରେ

ଅଭିନ୍ନା !

ଖେଳାଇ ନୟନ ଖୋଷୁରେ

ଖସାଇଦେଲେ ନୀବୀକି ଖୋଷିଦେଇ

ଏ ପୁଣି କି ବୋଲି ଭାଷୁରେ ।।୨।।

 

ଗୋରା ଦେହ ନିତି କୁଙ୍କୁମ ଲେପନ୍ତେ ଉଠୁ ଯେ ଥାଇ ଝଟକିରେ

ଗାଢ଼ ଆଲିଙ୍ଗନ ସୁରତରେ ଧନ ମୋ ମନ ଥାଉ ଅଟକିରେ

ଅଭିନ୍ନା !

ଗଳାରହାର ତୁ ମୋର

ଗୁଣଗଉରୀ ! ତୋ ଗୁଣ ଗୀତକରି

ଗାଉଥିବି ନିରନ୍ତରରେ ।।୩।।

ଘାଗଡ଼ାପଡ଼ି ଦିବ୍ୟହେମ ଶିକୁଳିଗୁନ୍ଥା ସରୁଧାନ ମାଳିରେ

ଘଟଣ ହେମଉରଜେ ଲାଗିବାରୁ ଦିଶେ ଶତେଗୁଣେ ଝଳିରେ

ଅଭିନ୍ନା !

ଘଡ଼ିକର ଭାବ ଯେତେରେ

ଘେନିଲେ ପାଷାର ଦ୍ରବ ହୋଇଯିବ

ହୃଦୟ ଛାର ମୋ କେତେରେ ।।୪।।

ନଦେଉ ଆଗ ଚୁମ୍ବନ ମୁଁ ନ ଦେଲେ ଥରେ ଥରେ ଆଗ ଦେଉରେ

ନ ଘେନୁ ମୋହ ବରନକୁ ଗୋଟିଏ ବଳିଆଇ ଆଗେ ଦେଉରେ

ଅଭିନ୍ନା !

ନିମିଷେ ଅନ୍ତର ନୋହୁରେ

ନତନୁ କେଳି ଲାଳସୀ । ମଦାଳସୀ !

କି ଅପୂର୍ବ ଭାଷା କହୁରେ ।।୫।।

 

ଭାବାର୍ଥ- (୧-୫) ବିଦେଶରେ ରହୁଥିବା କେହି ଜଣେ ନାୟକ ତା’ର ଚତୁରୀ ଶିରୋମଣି କଥା ମନେ ପକାଉଛି । ନାୟିକାର ଚରିତ, ଗୁଣକୁ ଝୁରୁଛି । ବସନ୍ତକାଳୀନ ଚନ୍ଦ୍ରକିରଣରେ ଠିଆହୋଇ ବ୍ୟାକୁଳ ଭାବରେ କହୁଛି- ରେ ଅଭିନ୍ନା, କେମିତି ବଞ୍ଚୁଛୁ ? କେଉଁଠାରେ ବସି ବିଚାର କରୁଛୁ ? ତୋ ମନରେ କ’ଣ ଭାବନା ଅଛି ? ରେ ଅଭିନ୍ନା, ଦିନେ ଦିନକରେ ତୁ ଜୁଡ଼ା (ଖୋଷା) ଖୋଷିଲା (ବାନ୍ଧିଲା) ବେଳେ ସରାଗରେ ମୋ ଆଗକୁ ଆସି ତାକୁ ଦେଖାଉ । ମୋ ଦେହରେ ପ୍ରେମରେ ମିଶିଯାଉଥିଲୁ । ଚକ୍ଷୁକୁ ଖେଳାଇ ଖୋଶୀ ବାନ୍ଧିଦେଉ । ତୋର କଟୀ ବସ୍ତ୍ରର ଗଣ୍ଠି (ନୀବୀ)କୁ ଫିଟାଇ ଦେଲେ, ତାକୁ ଭିଡ଼ିଧରି, ଏ ସବୁ କ’ଣ କରୁଛ ବୋଲି ମୋତେ ପଚାରୁଥିଲୁ । ରେ ଅଭିନ୍ନା, ତୋର ଗୋରା ଦେହରେ, ମୁଁ ପ୍ରତିଦିନ କୁଙ୍କୁମ ଲେପି ଦେଲେ ଝଟକି ପଡ଼ୁଥିଲୁ । ତୋତେ ପ୍ରେମରେ ଗାଢ଼ ଆଲିଙ୍ଗନ କରିବାକୁ ମନ ଜଳୁଥିଲା । ତୁ ମୋର ଗଳାହାର । ରେ ଗୁଣ ଗଉରି, ତୋର ଗୁଣକୁ ଗୀତ କରି ସର୍ବଦା ଗାଉଥିବି ।

 

ରେ ଅଭିନ୍ନା, ତୋ ସୁନ୍ଦର ହେମବର୍ଣ୍ଣ ଉରଜ ଉପରେ ଦିବ୍ୟସୁବର୍ଣ୍ଣ ଶିକୁଳି ଗୁଛା ସରୁଧାନ ମାଳି ପଡ଼ି ସୁନାଠାରୁ ଶତେଗୁଣ ଝଳି ଯାଉଛି । ଘଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଭାବ ପଥରକୁ ମଧ୍ୟ ତରଳାଇ ଦେବ । ମୋ ହୃଦୟତ ଛାର ! ରେ ଅଭିନ୍ନା, ମୁଁ ତୋ ଗାଲରେ ଚୁମ୍ବନ ନ ଦେଲେ, ତୁ କେବେହେଲେ ଦେଉ ନ ଥିଲୁ । ଥରେ ଥରେ କିନ୍ତୁ ତୁ ମୋତେ ଆଗ ଚୁମ୍ବନ ଦେଉଥିଲୁ । ତୁ ମୋ ଠାରୁ ନିମିଷକ ପାଇଁ ମଧ୍ୟ ଅନ୍ତର ହୋଇନାହୁଁ । ରେ ମଦାଳସି, ପ୍ରେମଲାଳସି, ତୋର କଥାଭାଷା ବଡ ଚମତ୍କର ।

 

 

 

ଚନ୍ଦନପାଟି ଚନ୍ଦ୍ରାର୍ଦ୍ଧ ଭାଲପଟେ ଦିଶୁ ଯେ ଥାଇ ଚାତୁରୀରେ

ଚାହିଁ ନ ଚାହିଁଲେ କେବଳ ଚାଣ୍ଡେ ମୋ ହୃଦୟହୋଏ କତୁରିରେ

ଅଭିନ୍ନା !

ଚିରକାଳୁ ମୁଁ ତୋ କିଣାରେ

ଚିକ୍‌କଣକେଶୀ ମୋ ଅଭାଗ୍ୟକାଳରୁ

କଲୁ ତୁ କରୁଣା ଊଣାରେ ।।୬।।

ଛନ୍ଦି ଶ୍ରୀଭୁଜେ ଶିରେଦେଇ ପ୍ରାଙ୍ଗଣେ ଦିନେଥିଲ ଉଭାହୋଇରେ

ଛବିକି ଅନାଇ ମୁଁ ପଛଆଡ଼ରୁ ଆଲିଙ୍ଗନ କଲି ଯାଇରେ

ଅଭିନ୍ନା !

ଛାଡ଼ିଯା ବୋଇଲୁ ହସିରେ

ଛାଡ଼ୁନାହୁଁ ମନୁ ଯାହା ବୋଲିଅଛୁ

ଯାଇକହୁ ପଛଘୁଞ୍ଚିରେ ।।୭।।

ଯାମିନୀଯାକ ଯେ ଜଗିବସିଥାଉ ଉନ୍ନିଦ୍ରେ ମୁଁ ଯିବାପାଇଁରେ

ଯତନକରି ପ୍ରତିଦିନ ପଲଙ୍କତଳେ ପ୍ରଦୀପ ଘୋଡ଼ାଇରେ

ଅଭିନ୍ନା !

ଜାଣିନାହିଁ କି ତୋ ପ୍ରୀତିରେ

ଯାଉ ଜୀବନଧର ତୋ ଲାଗି ଜୀବନ

ଯୁଗେ ଯୁଗେ ରହୁ କୀର୍ତ୍ତିରେ ।।୮।।

ଝୁମ୍ପାବନ୍ଧା କଳା ସରୁଶାଢ଼ୀ ଧନ ! ନୋହିଲେ ନ ପିନ୍ଧୁ ପରାରେ

ଝଳିଗଉରି ! ତୋ ଝଳି ଶ୍ରୀଅଙ୍ଗକୁ ସେହି ଶାଢ଼ୀ ସିନା ତୋରାରେ

ଅଭିନ୍ନା !

ଝଳିଛି ସେକଥା ଚିତ୍ତେରେ

ଝଳିଗଉରି ! ଦିନେ କୋଳେ ବସାଇ

ଯାହା ବୋଲିଅଛୁ ମତେରେ ।।୯।।

ନିଧୁବନ କାଳେ ଦିନେ ଖଟପରେ ଗୋରୀ ମୁଖକୁ ଚାହାନ୍ତେରେ

ନତନୁ କେଳିଲାଳସୀ ଯାହା କଲୁ ବିପରୀତେରେ

ଅଭିନ୍ନା !

ନାସିକା ପୁଡ଼ା ଫୁଲାଇ ରେ

ନାହିଁ ନ ପାରଇ ଗେଲେ ବାଲୁଥାଇ

ସୁରତି ମାଗିବା ପାଇଁରେ ।।୧୦।।

ଭାବାର୍ଥ- (୬-୧୦) ରେ ଅଭିନ୍ନା, ତାଙ୍କର ଅର୍ଦ୍ଧଚନ୍ଦ୍ର ଭାଲପଟରେ ଚନ୍ଦନ ଟିପା ଖୁବ୍‍ ସୁନ୍ଦର ଦେଖାଯାଉଛି । ଟିକିଏ ଚାହିଁ ନ ଚାହିଁଲେ ମୋ ହୃଦୟଟା କତୁରିରେ କାଟି ହୋଇଗଲା ଭଳି ଲାଗୁଛି । ମୁଁ ସର୍ବଦା ତୋ କିଣା ଚାକର । ରେ ଚିକ୍‍ଣ କେଶି, ମୋ ଉପରେ ଦୟା କରୁନାହୁଁ । ଏହା ମୋର ଦୁର୍ଭାଗ୍ୟ । ରେ ଅଭିନ୍ନା, ଦିନେ ଘରର ପ୍ରାଙ୍ଗଣରେ ତୁମେ ହାତ ଛନ୍ଦି ମୁଣ୍ଡରେ ହାତଦେଇ ବସିଥିଲ । ଦର୍ପଣରେ ଛବିକୁ ଦେଖି ମୁଁ ପଛଆଡ଼ତ ,ତୁମକୁ ଆଲିଙ୍ଗନ କଲି । ତୁମେ ହସି ହସି କହିଲ, ମୋତେ ଛାଡ଼ । ପୁଣି ଯାହା ପଛକୁ ଘୁଞ୍ଚି କରି କହିଛି, ତାହା ମୋ ମନରୁ ପାସୋର ଯାଉନାହିଁ । ରେ ଅଭିନ୍ନା, ମୋ ଯିବା ବାଟକୁ ଚାହିଁ ରାତିଯାକ ଅନିଦ୍ରା ରହି ଜଗି ବସିଥାଉ । ପ୍ରତିଦିନ ଯତ୍ନ ସହକାରେ ପଲଙ୍କ ତଳେ ପ୍ରଦୀପକୁ ଘୋଡ଼ାଇଥାଅ । ତୁମ ପ୍ରୀତି କ’ଣ ମୁଁ ଜାଣିନାହିଁ-? ତୁମ ଲାଗି ଏ ଜୀବନ ଯାଉ । ଯୁଗେ ଯୁଗେ ଏ କୀର୍ତ୍ତି ରହିଥାଉ ।

ରେ ଅଭିନ୍ନା, ଝୁମ୍ପାବନ୍ଧା କଳା ସରୁ ଶାଢ଼ି ନ ହେଲେ ଆଦୌ ପିନ୍ଧିବାକୁ ଭଲ ପାଉ ନ ଥିଲ । ରେ ଝଳି ଗଉରି, ତମର ସେଇ ଝଳି ଶ୍ରୀଅଙ୍ଗକୁ ସେଇ ଶାଢ଼ି ଖୁବ୍ ମାନୁଛି । ଏବେ ମଧ୍ୟ ମୋ ମନରେ ସେ କଥା ବସା ବାନ୍ଧିଛି । ମୋତେ ଦିନେ କୋଳରେ ବସେଇ ଯାହା କହିଛୁ, ସହଜରେ ପାସୋରି ଯିବି କେମିତି ? ରେ ଅଭିନ୍ନା, ନିଧୁବନ (ରତିକ୍ରିୟା) କାଳରେ ଦିନେ ଖଟରେ ବସାଇ ଯେତେ ବେଳେ ଗୋରୀର ମୁଖକୁ ଚାହିଁଲି, ସେତେବେଳେ କନ୍ଦର୍ପ କେଳିଲାଳସୀ ମୋ ସହିତ ବିପରୀତ ରତି କ୍ରୀଡ଼ାରେ ମାତିଲୁ । ସୁରତି ମାଗିବାକୁ ନାସିକା ପୁଡ଼ା ଫୁଲାଇ ଗେଲାରେ ମନା କରିଦେଉ ।

ଟେକି ଜାନୁରେ ବସାଇ ଚୁମ୍ବଦେଲେ ଟିକାଏ ନ ଟେକୁ ଶିର ରେ

ଟେକସ୍ତନେ ନଖମୂଳ ଟିପିଦେଲେ ରହ ବୋଲି ଧରୁ କରରେ

ଅଭିନ୍ନା !

ଟଳିଗଲା ତେଡ଼େ ସୁଖରେ

ଟଙ୍କଧର ରିପୁ ଦୁହିଁଙ୍କୁ ଏକାଳେ

ଏକାବେଳେ ଦେଲା ଦୁଃଖରେ ।।୧୧।।

ଠିଆ ଯେ ହୋଇଥାଉ ଛନ୍ଦି ଚରଣ ଦ୍ୱାରବନ୍ଧେ କର ଦେଇ ରେ

ଠାଠିକମୁଖୀ ଦେଖିଲେ ଦୂରୁ ମତେ ହସିଯାଉ ଆଡ଼େ ହୋଇ ରେ

ଅଭିନ୍ନା !

ଠାର ଶିଖି ଅଛୁ କେତେ ରେ

ଠାକୁରାଣୀ ପଣ ମୂର୍ତ୍ତିବନ୍ତ ହୋଇ

ଭଲ ମାନିଥାଇ ତତେ ରେ ।।୧୨।।

ଡେରିଥାଇ କର୍ଣ୍ଣ ଝମକ ଝୁଣ୍ଟିଆ ନୂପୁର ନାଦକୁ ତୋର ରେ

ଡାଳିମ୍ବ ଦଶନା ଜାଣି ମୋ ପାଖକୁ ଆସୁଥାଉ କେତେ ଥର ରେ

ଅଭିନ୍ନା !

ଡରୁଥାଇ ଚିତ୍ତେ ମୁହିଁ ରେ

ଡମ୍ବରୁ ସୁନ୍ଦର କ୍ଷୀଣ କଟି ତୋର

ବାତେ ଭାଜିଯିବା ପାଇଁ ରେ ।।୧୩।।

ଢାଳି ନୟନ କି କରି ଆଡ଼େ ଚାହୁଁ ଶ୍ରୀମୁଖେ ଦେଲେ ଚୁମ୍ବନ ରେ

ଢଳି ପଡ଼ୁଥିଲେ ହୃଦକୁ ମୋହର ମୁଁ କରଇ ଆଲିଙ୍ଗନ ରେ

ଅଭିନ୍ନା !

ଢାଳେ ହେଁ ମୂର୍ଚ୍ଛିଲୁ ମତେ ରେ

ଢମ କହୁ ନାହିଁ ଢଳ ହଳ ନେତ୍ରୀ ।

ଢୋକିବି ଗରଳ ସତେ ରେ ।।୧୪।।

ଅବଧାନ ବିନୁ ଆନ ବୋଲି ମତେ ତୁଣ୍ଡେ ନ ବସାଇ ଥାଉ ରେ

ଆଗୋ ଏକି ବୋଲି ବୋଲୁଥାନ୍ତି ମତେ ବୋଲି ମୁଖେବାସ ଦେଉରେ

ଅଭିନ୍ନା !

ଏହା ରଖିଥିବୁ ମନରେ

ଆଉ ନ ପାରଇ ବୋଲିବାର ନିକି

ଦେଖିବି ଧନ ସପନେ ରେ ।।୧୫।।

ଭାବାର୍ଥ- (୧୧-୧୫) ରେ ଅଭିନ୍ନା, ତୁମକୁ ଟେକି ନେଇ କୋଳରେ ବସାଇ ଚୁମ୍ବନ ଦେବାକୁ ଗଲାବେଳେ ଟିକିଏ ମଧ୍ୟ ମୁଖକୁ ଟେକି ନ ଥାଉ । ଟେକସ୍ତନକୁ ନଖ ମୂଳରେ ସାମାନ୍ୟ ଟିପିଦେଲେ ରହ ବୋଲି ହାତ ଧରି ପକାଉ । ସେଇ ସୁଖ ଏବେ ଆଉ ନାହିଁ । ଆମ ଦୁହିଁଙ୍କୁ ଏ କାଳରେ ଏକାବେଳକେ କନ୍ଦର୍ପ ଦୁଃଖ ଦେଉଛି । ରେ ଅଭିନ୍ନା, ଦ୍ଵାରବନ୍ଧରେ ହାତ ଦେଇ ଗୋଡ଼ ଛନ୍ଦି ଠିଆ ହୋଇଥାଉ । ରେ ଚନ୍ଦ୍ରମୁଖି, ମୋତେ ଦୂରରୁ ଦେଖିଲେ ହସି କରି ଆଡ଼ ହୋଇଯାଇଥାଉ । କେତେ ଠାରରେ କଥା କହୁଛୁ ? ଠାକୁରାଣୀ ମୂର୍ତ୍ତି ପଣିଆ ତୋତେ ଭଲ ମାନୁଛି ।

ରେ ଅଭିନ୍ନା, ତୋର ପାଦରେ ବନ୍ଧାଯାଇଥିବା ନୂପୁର, ଝମକ ଝୁଣ୍ଟିଆ ନାଦକୁ ଶୁଣିବା ପାଇଁ ସର୍ବଦା କର୍ଣ୍ଣକୁ ଡେରିଥାଏ । ରେ ଡାଳିମ୍ବ ଦଶନା, ମୋ ପାଖକୁ କେତେ ଥର ଆସୁଥାଉ ! ମୋ ମନରେ ଭୟ ଲାଗୁଛି, ତୋର ଏ ସୁନ୍ଦର ଡମ୍ବରୁ ପ୍ରାୟ କ୍ଷୀଣକଟି ପବନ ଘାତରେ କେତେବେଳେ ଭାଙ୍ଗିଯିବ । ରେ ଅଭିନ୍ନା, ତୋ ଶ୍ରୀମୁଖରେ ଚୁମ୍ବନ ଦେଲା ବେଳେ ଅନ୍ୟ ଆଡ଼େ ଚାହିଁ ଦେଉ । ମୋର ହୃଦୟରେ ଢଳି ପଡ଼ିଲେ ତୋତେ ଆଲିଙ୍ଗନ କରିଥାଏ ।

ରେ ପଦ୍ମନେତ୍ରୀ, ମୋ ଆଡ଼କୁ ଟିକିଏ ଚାହାଁ, ମିଛ କହୁନାହିଁ, ତୋତେ ମୁଁ ନ ପାଇଲେ ସତରେ ବିଷପାନ କରିଦେବି । ରେ ଅଭିନ୍ନା, ପରବୋଲି ମୋତେ ଭାବୁଛୁ, ତୁଣ୍ଡରେ ପଚାରୁନାହୁ । ମୁଁ କିଛି ପଚାରିଲେ, ମୋ ତୁଣ୍ଡରେ ସ୍ନେହରେ ଲୁଗା ପୂରାଇ ଦେଉ । ରେ ପ୍ରୟା, ଏ କଥା ମନରେ ରଖିଥିବୁ, ତୋତେ ପାଇବି କି ନାହିଁ ଜାଣେନା, ସ୍ୱପ୍ନରେ କେବଳ ତୋତେ ଦେଖିବି ।

ତୋ ଲାଗି ସକଳ ଦଣ୍ଡ ପରିତ୍ୟାଗୀ ହୋଇ ଅରଣ୍ୟେ ପଶିବି ରେ

ତପଚାରୀ ହୋଇ କେବଳ ତୋ ନାମ ମହାମନ୍ତ୍ର ଜପୁଥିବି ରେ

ଅଭିନ୍ନା !

ତେବେ ନୋହିବ କି ଗତିରେ

ତ୍ରିପୁର ସୁନ୍ଦରୀ ! ତୋହୋପରା କରି

କେ ଦେଉ ମୋତେ ଯୁବତୀ ରେ ।।୧୬।।

ଥିର କରି ଦିନେ ଥିରଗମନୀ ତୋ ଉରଜରେ ଦେଲି କର ରେ

ଥରେ ଚୁମ୍ବନ ଦେଇ ବନ୍ଧୁ ! ବୋଇଲି ହେଲାକି ବନ୍ଧୁ ଏଥର ରେ

ଅଭିନ୍ନା !

ଥୋଇ ହୃଦୟରୁ ହାର ରେ

ଥାଉ କିନା ବୋଲି ଯାହା କହୁ ବନ୍ଧୁ

ନଥିବ କି ତା ମନର ରେ ।।୧୭।।

ଦେହ ପାଣି ସାରି ଦିନେ ଅଗଣାରେ ଉଭା ହୋଇଥିଲୁ ଆସି ରେ

ଦେଇ ପଣନ୍ତ ମଥାରେ ମତେ ଦେଖି ସଦନକୁ ଗଲୁ ପଶି ରେ

ଅଭିନ୍ନା !

ଦେହଳୀ ନିକଟେ ଥାଇରେ

ଦିବ୍ୟ ଚିତ୍ତରେ କି ବିଚାରି ଅଳପ

ହସିଲୁ ପାଲଟି ଚାହିଁ ରେ ।।୧୮।।

ଧୀରଗମନାରେ ଧରି ତୋ ଶ୍ରୀକର ବିପରୀତ ମୁଁ ମାଗନ୍ତେ ରେ

ଧରଣୀ ମଣ୍ଡନା ! ସୁରସ ପଣ୍ଡିତା ! ସେହିମତି କଲୁ ମତେରେ

ଅଭିନ୍ନା !

ଧୀରେ ଆରମ୍ଭିଲି ରତିରେ

ଧରି ଚୁମ୍ବନ ଦିଅନ୍ତେ ତୋ ଶ୍ରୀମୁଖେ

କି ଭଙ୍ଗିରେ କଲୁ ଗତିରେ ।।୧୯।।

ନାସିକା ପୁଡ଼ା ଟେକିଲା କରି ତୁଯେ ହସି କହୁଥାଉ ବାଣୀରେ

ନାହିଁ ନ ପାରିବି ବୋଲି ଗେଲେ ବୋଲୁ ସୁରତି ମାଗିବା ଜାଣି ରେ

ଅଭିନ୍ନା !

ନିରତେ ତୋଭାବ ଗୁଣି ରେ

ନୟନୁ ନୀର ଝର ଝର ଝରଇ

ନ ରୁଚଇ ଅନ୍ନପାଣିରେ ।।୨୦।।

ପିଠି କରି ଦିନେ ପ୍ରିୟେ ! ଶୋଇନାହୁଁ ଏବେ ହେଲୁ ଏତେ ଦୂରରେ

ପରଶୁପାଣି କରିବେ ସତେ ପଦ୍ମ ପାଦେ ଲଗାଇବି ଶିରରେ

ଅଭିନ୍ନା !

ପାସୋର ନ ଯାଉ ଚିତ୍ତେ ରେ

ପୂର୍ବ ପୁଣ୍ୟ ଘେନି ସଙ୍ଗୀତପଠନି !

ପ୍ରାପତ ହୋଇଛୁ ମତେ ରେ ।।୨୧।।

ଭାବାର୍ଥ- (୧୬-୨୧) ରେ ଅଭିନ୍ନା, ମୋ ପ୍ରତି ଏତେଟା ନିଷ୍ଠୁର ହୁଅ ନା । ତୋ ପାଇଁ ସବୁ ଜଞ୍ଜାଳକୁ ଛାଡ଼ି ବଣ ମଧ୍ୟରେ ପଶିଯିବି । ସନ୍ନ୍ୟାସୀ ହୋଇ କେବଳ ତୋ ନାମ ମହାମନ୍ତ୍ରକୁ ଜପ କରୁଥିବି । ରେ ତ୍ରିପୁରସୁନ୍ଦରୀ, ତୋତେ ନ ପାଇଲେ ମୋର ଗତି କ’ଣ ହେବ ? ତୋ ପରି ଯୁବତୀରତ୍ନ ମୁଁ କେଉଁଠି ପାଇବି ? ରେ ଗଜଗମନି, ମନ ମଧ୍ୟରେ ଦିନେ ସ୍ଥିର କରି ତୋ ବକ୍ଷୋଜରେ ହାତ ଦେଲି, ସୁଖରେ ଥରେ ଚୁମ୍ବନ ଦେଲି । ଆଉ ପଚାରିଲି, ଏହିଥର ହେଲାକି ? ହୃଦୟରୁ ହାର ବାହାର କରି ଥୋଇ ଦେଉ ଓ ଥାଉ ବୋଲି କହୁ । ଏହା କହିଲେ ମଧ୍ୟ ମନରେ ତୋର ଏ ଭାବନା ନ ଥାଏ ।

ରେ ବାଳା, ତୁ ସର୍ବଦା ନାସିକା ପୁଡ଼ାକୁ ଟେକି ହସି କରି କଥା କହୁଥାଉ । ମୁଁ ତୋତେ ସୁରତି ମାଗିବା ଜାଣିଲେ ତୁ ଗେଲାରେ ଦେଇପାରିବି ନାହିଁ ବୋଲି କହୁ । ତୋର ଏ ପ୍ରେମ ଭାବକୁ ମୁଁ ସବୁବେଳେ ଗୁଣି ହେଉଛି । ଚକ୍ଷୁରୁ ଧାର ଧାର ଲୁହ ଝରିପଡ଼ୁଛି । ଅନ୍ନ ପାଣି ରୁଚୁ ନାହିଁ । ରେ ପ୍ରିୟା, ମୋ ଆଡ଼କୁ ଦିନେ ହେଲେ ପିଠିକରି ଶୋଇନାହୁଁ । ଦୂରରେ ରହି ଏବେ ସେ କଥାକୁ ମନେ ପକାଉଛି । ସତରେ କ’ଣ ଶିବ ଦୟା କରିବେ ? ତୋତେ ପାଇବି ! ପ୍ରଭୁଙ୍କ ପଦ୍ମପାଦରେ ଶିର ଲଗାଇ ପ୍ରାର୍ଥନା କରିବି । ରେ ଅଭିନ୍ନା, ମୋ କଥା ତୋ ମନ ମଧ୍ୟରୁ ପାସୋର ନ ଯାଉ । ପୂର୍ବରେ କି ପୁଣ୍ୟ କରିଥିଲି କେଜାଣି, ତୁ ମୋତେ ପ୍ରାପ୍ତ ହୋଇଛୁ ।

ଫେଡ଼ି ନୀବୀବନ୍ଧ ଥାଉ କେତେ ଦେଖି ହୋଇଥାଇ ସୁଖୀ ରେ

ଫାଟି ନଯାଇ ରହିଛି ଛାର ଜୀବ ଏବେ ସେ ଛବି ନ ଦେଖିଲେ

ଅଭିନ୍ନା !

ଫୁଟୁଛି ହୃଦୟ ମୋର ରେ

ଫୁଲ କାଳକାଣ୍ଡ ଚାର ହେଲା ଦଣ୍ଡ

ତୋ ବିନୁ ବନ୍ଧୁ ଏଥର ରେ ।।୨୨।।

ବୋଲୁ ଯେ ଥାଉ ପିଣ୍ଡରେ ପ୍ରାଣଥିଲେ ଏ ପ୍ରୀତି ନୋହିବ ଭିନ୍ନରେ

ବେଳକୁ ବେଳ ରଖିବ ନାହିଁ ପରା ବୋଲି କଲୁ ଆଲିଙ୍ଗନରେ

ଅଭିନ୍ନା !

ବିହିକଲା ଏତେ ସରିରେ

ବୀଣାବଚନୀ ! ତୋ ବିନୁ ବିବାସରେ

ଏବେ ମରୁଅଛି ଝୁରିରେ ।।୨୩।।

ଭାଜି ପଡ଼ୁଥାଇ ଲୋଟଣୀ ଜୁଡ଼ାରେ ସରୁ ଛୁରୀଅନା ଗଭାରେ

ଭିନ୍ନେ ପରି ଫୁଲେ ଗଭା କରିଥିଲେ ଦିଶୁଥାଇ ମହାଶୋଭାରେ

ଅଭିନ୍ନା !

ଭଲା ତୋ ସୁନ୍ଦରପଣ ରେ

ଭାବିଲେ ଭାବିନୀ । ଦିବସ ରଜନୀ

ସରିବ ନିକି ତୋ ଗୁଣରେ ।।୨୪।।

ମାଜିଲା ମଦନ ମୁକୁର ପରାୟେ ବିରାଜୁଥାଏ ଶ୍ରୀମୁଖରେ

ମୁଁ ଦଣ୍ଡେ ଶ୍ରୀମୁଖ ବାରେ ନ ଦେଖିଲେ ମାଡ଼ି ପଡ଼ୁଥାଇ ଦୁଃଖରେ

ଅଭିନ୍ନା !

ମୂର୍ଚ୍ଛିବା ପଦାର୍ଥ ନୋହୁରେ

ମୁନିମୋହିନୀ ! ତୁ ମୋହ ଲାଗି ସିନା

ପରେ ପରାଭବ ସହୁ ରେ ।।୨୫।।

ଜୁଡ଼ା ଭାଙ୍ଗି ମୁଁ ଯେ ବେଣୀ କରୁଥାଇ ଜାନୁରେ ବସାଇ ଆଣିରେ

ଜାଣୁ ମଣି ! ମନ ଜାଣି ଲାଜ ପାଉ ଥରେ ହେଁ ନକହୁ ବାଣୀରେ

ଅଭିନ୍ନା !

ଯାହା ଚାହିଁ ମନ୍ଦେ ହସୁରେ

ଜମ୍ବୁନଦଗୋରୀ ! ଯେବେ ଲେଉଟିବି

ଅନ୍ତର ନୋହିବି ପାଶୁରେ ।।୨୬।।

ରମ୍ଭା ମନୋରମା ରତି ତିଳୋତ୍ତମା ଶଚୀ ଆଦି ଯେତେ ନାରୀରେ

ରମଣୀ ! ତୋ ରଙ୍ଗା ଚରଣ ତଳକୁ ଜଣେହେଁ ନୁହନ୍ତି ସରିରେ

ଅଭିନ୍ନା !

ରସେ ରସାଇଛୁ ମୋତେରେ

ରସବତୀ ! ତୋହ ଘେନି ମୁଁ ରସିବି

ବୋଲି ବୋଲନ୍ତି ଜଗତେ ରେ ।।୨୭।।

ଭାବାର୍ଥ- (୨୨-୨୭) ରେ ଅଭିନ୍ନା, ତୋ କଟିଦେଶର ବନ୍ଧା ଲୁଗାକୁ ମୁଁ ଟାଣିଦେଲେ ତୁ ତାକୁ ବାନ୍ଧୁଥାଉ । ସେ ସବୁକୁ ଦେଖି ମୁଁ ଖୁସି ହୁଏ । ଏବେ ସେଇ ଛବି ସାତ ସ୍ଵପ୍ନ । ତାକୁ ନ ଦେଖି ମୋ ହୃଦୟ ଫାଟି ଯାଉଛି, ଏ ଛାର ଜୀବନ ନ ଯାଇ ଯାହା ରହିଛି ! ତୋ ବିନା ମୋର ଛାତି କରତି ହୋଇଯାଉଛି । ସାମାନ୍ୟ ଫୁଲଶର ମୋତେ କେତେ ଦଣ୍ଡ ନ ଦେଉଛି ? ରେ ଅଭିନ୍ନା, ତୁ ସବୁଦିନେ କହୁ, ପିଣ୍ଡରେ ପାଣ ଥିବାଯାଏଁ ପ୍ରୀତିଭାବ କେବେ ଭିନ୍ନ ହେବ ନାହିଁ । ବେଳକୁ ବେଳ ମୋତେ ଆଲିଙ୍ଗନ କରୁ । ବିଧାତା ଆମକୁ ଏତେ ସରି କଲା । ରେ ବୀଣାବଚନି, ତୋତେ ନ ପାଇ ଅହରହ ଏଇଠି ଝୁରିମରୁଛି । ରେ ଅଭିନ୍ନା, ତୋ ଲୋଟଣିଜୁଡ଼ାରେ ସରୁ ଛୁରୀଅନା ଫୁଲ ଖୋଷିଲେ ଖସି ପଡ଼ୁଥାଏ । ତୋ ଗଭାରେ ଭିନ୍ନ ଭାବରେ ଫୁଲ ଗୁନ୍ଥିଥିଲେ ବଡ଼ ଶୋଭା ଦିଶେ । ତୋ ସୁନ୍ଦର ପଣକୁ ତାହା ଖୁବ୍‌ ମାନେ । ତୋର ଗୁଣକୁ ଦିବସରଜନୀ ଭାବିଲେ ମଧ୍ୟ ସରିବନି । ରେ ଅଭିନ୍ନା, ତୋ ମୁଖମଣ୍ଡଳ ମଜାଯାଇଥିବା ଦର୍ପଣ ପରି ଚିକ୍‍କଣ ଦେଖାଯାଉଛି । ତାକୁ ଦଣ୍ଡେ ନ ଦେଖିଲେ ମୋ ମନଟା ଦୁଃଖରେ ଭାଙ୍ଗି ଯିବ । ରେ ମୁନିମୋହିନି, ତୋର ସୁନ୍ଦର ମୁଖ ମଣ୍ଡଳ ମୂର୍ଚ୍ଛିବା ପଦାର୍ଥ ନୁହେଁ । ମୋରି ପାଇଁ ତୁ କେତେ ପରାଭବ ନ ସହିଛୁ ?

ରେ ଜମ୍ମୁନଦ (ସୁବର୍ଣ୍ଣ) ଗୋରି, ମୁଁ ତୋତେ ଟାଣି ଆଣି ମୋ ଜାନୁରେ ବସାଏ, ତୋର ଜୁଡ଼ା ଭାଙ୍ଗି ବେଣି ବାନ୍ଧୁଥାଏ । ମନ ଭିତରେ ଲାଜ ରଖି କିଛି କହୁ ନ ଥିଲୁ । କେବଳ ମୋତେ ଟିକିଏ ଚାହିଁ ସାମାନ୍ୟ ହସି ଦେଉଥିଲୁ । ଏବେ ଯେବେ ଲେଉଟିବି ଜାଣିଥା, ତୋ ପାଖରୁ କେବେ ଆଉ ଅଲଗା ହେବି ନାହିଁ । ରେ ଅଭିନ୍ନା, ରମ୍ଭା, ମନୋରମା, ରତି, ତିଳୋତ୍ତମା, ଶଚୀ ଆଦି ଯେତେ ନାରୀ ଜଗତରେ ଅଛନ୍ତି, ତୋ ରଙ୍ଗା ଚରଣ ତଳକୁ ଜଣେ ହେଲେ ସରି ହେବେ ନାହିଁ । ରେ ରମଣୀମଣି, ତୁ ମୋତେ ତୋ ପ୍ରେମ ରସରେ ରସାଇ ଦେଇଛୁ । ରେ ରସବତି, ତୋ ପାଇଁ ମୁଁ ରସିବି ବୋଲି ଜଗତରେ ଲୋକମାନେ କହୁଛନ୍ତି ।

ଲେଖି ଯେ ଥାଉ ଲେଖ ଲକ୍ଷାରସରେ ନାଗରୀ ! ଅକ୍ଷରମାନରେ

ଲକ୍ଷେ ଥର ଶିରେ ଲଗାଇ ମୁଖରେ ଦିଅଇ ଲକ୍ଷେ ଚୁମ୍ବନରେ

ଅଭିନ୍ନା !

ଲୋଡ଼ିଲେ କେ ଦେବ ତୋତେରେ

ଲେଶେ ମୁଁ ପାଶରୁ ଅନ୍ତର ନୋହିବି

ଲେଉଟି ଆସିବି ଯେବେରେ ।।୨୮।।

ବିପରୀତ ଅନ୍ତେ ବେଶ କରି ତୋତେ ବସାଇଲେ ଆଣି କୋଳରେ

ବିନୟ ହୋଇ କର ଧରି ବୋଇଲି ଏବେ ହେଉ ଥାଉ ବେଳରେ

ଅଭିନ୍ନା !

ବଦନେ ଚୁମ୍ବନ ଦେଇରେ

ବୋଧ ନୁହ ବନ୍ଧୁ ଯେତେ ହେଲେ ବୋଲି

ବୋଇଲୁ ଗେଲାଇ ହୋଇରେ ।।୨୯।।

ଶରଦ ନିଶିରେ ଦିନେ ସରୋଜାକ୍ଷୀ ! ସ୍ତନାଙ୍ଗ ଚନ୍ଦନ ହୋଇରେ

ସିନ୍ଦୂରୀ ଶାଢ଼ୀ ଉପରାଣ ଦେଇ ମୋ ଆଗେ ଉଭା ହେଲୁ ଯାଇରେ

ଅଭିନ୍ନା !

ସନ୍ତୋଷ ହେଲି ଅନାଇରେ

ଶରଧା କରି ଆଲିଙ୍ଗନ କରି ତୋ

ମୁଖେ ଚୁମ୍ବ ଦେଲି ନେଇରେ ।।୩୦।

ଭାବାର୍ଥ- (୨୮-୩୦) ରେ ନାଗରି, ଲାକ୍ଷାରସରେ ତୁ ଲେଖାଗୁଡ଼ିକୁ ଲେଖିଥାଉ । ଅକ୍ଷରଗୁଡ଼ିକୁ ଲକ୍ଷେ ଥର ମୁଣ୍ଡରେ ଲଗାଇ ମୁଖରେ ଲକ୍ଷେ ଚୁମ୍ବନ ଦେଇଥାଉ । ଯେବେ ମୁଁ ଲେଉଟି ଆସିବି, ତୋ ପାଖରୁ ଲେଶମାତ୍ର ଅନ୍ତର ହେବି ନାହିଁ । ରେ ଅଭିନ୍ନା, ବିପରୀତ ରତିକ୍ରୀଡ଼ା ଶେଷ ପରେ ତୋତେ ବେଶ କରି କୋଳରେ ଆଣି ବସାଏ । ବିନୟ ହୋଇ ହାତଧରି ମୁହଁରେ ଚୁମ୍ବନ ଦିଏ । ତୁ ଗେଲାରେ କହୁ, ଯେତେହେଲେ ମଧ୍ୟ ମନବୋଧ ହେଉ ନାହିଁ କି ?

ରେ ପଦ୍ମନେତ୍ରୀ, ଦିନେ ଶରଦ ରାତିରେ ବକ୍ଷୋଜ ସହିତ ଦେହରେ ଚନ୍ଦନ ବୋଳି ହୋଇଥିଲୁ । ସିନ୍ଦୂରୀ ଶାଢ଼ି ଉପରାଣ (ଘୋଡ଼ଣି) ଦେଇ ମୋ ଆଗରେ ଉଭା ହେଲୁ । ରେ ଅଭିନ୍ନା, ତୋତେ ଦେଖି ମୁଁ ସନ୍ତୋଷ ହେଲି । ଶ୍ରଦ୍ଧାରେ ଆଲିଙ୍ଗନ କରି ତୋ ମୁଖରେ ଚୁମ୍ବନ ଦେଲି ।

ଶିରୀଷ ଅଙ୍ଗୀ ଶ୍ରୀମୁଖ ମୋଡ଼ି ଦେଇ ଯାହା ବୋଲିଅଛୁ ହସିରେ

ସେହିଦିନୁ ସେହି କଥା ଅହର୍ନିଶି ହୃଦେ ହେଉଥାଇ ଘୋଷିରେ,

ଅଭିନ୍ନା !

ସବୁ ସୁଖ ମୋର ତୁହିରେ

ସତେ ମହାପ୍ରଭୁ ରଖିଥିବେ ଶଙ୍ଖେ

ପୂରୋଇ ଚକ୍ର ଘୋଡ଼ାଇ ରେ ।।୩୧।।

ସୁନ୍ଦର ତିଳ କୁସୁମ ନାସା ପୁଟେ ଶୋହେ ମୋତି ନାକଚଣାରେ

ସହଜେ କେବେ ସୁନ୍ଦର ଦିଶୁଥାଇ ଘଷା ବସା କାମ ଗୁଣାରେ

ଅଭିନ୍ନା !

ସଭିଙ୍କି ସଭିଏଁ ଜଣାରେ

ସୁକୃତ ନଥିଲା ଲୋକ ତା ଲୋକନ

କରିବା କଥା କି ଊଣାରେ ।।୩୨।।

ହୋଇ ସୁବେଶ ସୁରତ ସଦନରେ ମୋ ପାଶେ ହୋଉ ପ୍ରବେଶରେ

ହରିଉରରୁ ବସନ ପରିରମ୍ଭ କଲେ ହେଉ ହସ ହସରେ

ଅଭିନ୍ନା !

ହରଷେ ମୋ ଗଳା ଭିଡ଼ୁରେ

ହେଲେ ରତି ରସେ ଅଣାୟତ୍ତ ବଶେ

ଅଧରେ ଅଧର ପୀଡ଼ୁରେ ।।୩୩।।

କ୍ଷଣେ ନଦେଖିଲେ ଗବାକ୍ଷ ମାର୍ଗରେ ଚାହୁଁଥାଉ ମୋତେ ଆସିରେ

କ୍ଷପାକର ମୁଖୀ ! ରଜନୀ ଦିବସେ ମୋ କଥାରେ ଥାଉ ରସିରେ

ଅଭିନ୍ନା !

କ୍ଷିତି ମଧ୍ୟେ ମୁହିଁ ସାରରେ

କ୍ଷେମେ କହେ ବିପ୍ର ଦାଶରଥି ଦାସ

ତୋତେ ତୁହି ପଟାନ୍ତର ରେ ।।୩୪।।

ଭାବାର୍ଥ- (୩୧-୩୪) ରେ ଶିରୀଷଅଙ୍ଗି, ମୁଖ ମୋଡ଼ି ଦେଇ ହସି କରି ଯାହା କହିଛୁ, ତାକୁ ସେହି ଦିନରୁ ଦିବାରାତ୍ରି ମୁଁ ହୃଦୟ ମଧ୍ୟରେ ଘୋଷି ହେଉଛି । ରେ ଅଭିନ୍ନା, ତୁ ମୋର ସବୁ ସୁଖ । ମୁଁ ପ୍ରାର୍ଥନା କରୁଛି, ମହାପ୍ରଭୁ ତୋତେ ଶଙ୍ଖ ମଧ୍ୟରେ ପୂରେଇ ଓ ଚକ୍ରରେ ଘୋଡ଼େଇ ରଖିବେ । ରେ ଅଭିନ୍ନା, ତୋ ନାସାପୁଟରେ ସୁନ୍ଦର ତିଳ କୁସୁମ ପରି ମୋତି ନାକଚଣା ଅତ୍ୟନ୍ତ ଶୋଭା ପ୍ରକାଶ କରୁଛି । ସହଜରେ ଘଷାବସା କାମଗୁଣା ସୁନ୍ଦର ଦିଶୁଛି । ତୋର ସୁନ୍ଦର ପଣ ସମସ୍ତଙ୍କୁ ଜଣା । ରେ ଅଭିନ୍ନ, ସୁବେଶ ହୋଇ କେଳିସଦନକୁ ଆସି ମୋ ପାଖରେ ପହଞ୍ଚୁଥାଉ । ଛାତିରୁ ଲୁଗା ବାହାର କରି ତୋତେ ପରିରମ୍ଭ (ନିବିଡ଼ ଆଲିଙ୍ଗନ) କଲେ ହସ ହସ ହେଉଥାଉ । ଆନନ୍ଦ ମନରେ ମୋ ଗଳା ଭିଡ଼ିଥାଉ । ରତିରସରେ ଅଣାୟତ୍ତ ହୋଇ ଅଧରକୁ ଅଧର ମିଶାଇ ଭିଡ଼ିଦେଉ ।

ରେ ଅଭିନ୍ନା, ମୋତେ ଘଡ଼ିଏ ନ ଦେଖିଲେ, ଝରକା ପାଖକୁ ଆସି ମୋତେ ଚାହିଁ ରହୁ-। ରେ ଚନ୍ଦ୍ରମୁଖି, ଦିବାରାତ୍ରି ମୋ କଥାକୁ ରସି ଥାଉ । ଜଗତ ମଧ୍ୟରେ ମୁଁ ଶ୍ରେଷ୍ଠ । କବି କହୁଛନ୍ତି, ହେ ପ୍ରଭୁ, ଏ ଜଗତରେ ତୁମେ ହିଁ ତୁମର ପଟାନ୍ତର ।

Image